Unknown

 

 

 

 

 

 

 

 

 

 

 

ବିଧବା ବିବାହ

ଶ୍ରୀ ବୈରାଗିଚରଣ ମିଶ୍ର

 

ଭାଇମାନେ, ମାଆମାନେ–

 

ଗତବର୍ଷ (୧୯୩୧-୩୨) ବିଧବା-ବିବାହ ନାମରେ ୫୦ରୁ ୬୦ ସରିକି ବିବାହ ହୋଇଯାଇଥିବା ଓ ୧୪ ମାସ ବିବାହ ତିଥି ନଥିବା ବିଷୟ ଜଣା ହୋଇଛି । ଆସନ୍ତା ମାର୍ଗଶିର ୧୩ ଦିନ ପ୍ରଥମ ତିଥି ପଡ଼ିବ । ଏହି ବର୍ଷ ତିଥିରେ ‘ବିବରା-ବିବାହ’ର ପଥ ପରିଷ୍କାର ହୋଇଯିବ ।

 

ଲକ୍ଷ ଲକ୍ଷ ବିବରା କନ୍ୟାଙ୍କର (ବରହୀନା କନ୍ୟାଙ୍କର) ଭାଗ୍ୟ ଏହି ବହିରେ ପୁଣି ଆପଣମାନଙ୍କର ହାତରେ ରହିଛି । ବହିଖଣ୍ଡି ପଢ଼ିବାକୁ ଦୁଇ ଘଣ୍ଟାରୁ ବେଶି ସମୟ ଲାଗିବ ନାହିଁ, ତେଣୁ ବିଶେଷ ଅନୁରୋଧ–ବହିଖଣ୍ଡି ପଢ଼ି ଗ୍ରାମବାସୀମାନଙ୍କୁ ପଢ଼ି ଶୁଣାଇ ନିଜର ବ୍ୟକ୍ତିଗତ ମତ ଓ ସେମାନଙ୍କର ବ୍ୟକ୍ତିଗତ ମତ ସଂଗ୍ରହ କରି ପଠାନ୍ତୁ ଓ ତିନିଦିନ ମଧ୍ୟରେ ଯେତେ ଶୀଘ୍ର ପାରନ୍ତି, ପ୍ରଚାର ସକାଶେ ନିକଟବର୍ତ୍ତୀ ଗ୍ରାମକୁ ପଠାଇଦିଅନ୍ତୁ । ଯଥାଶକ୍ତି ଏହି ମହତ୍‌ କାର୍ଯ୍ୟରେ ସହାୟତା କରନ୍ତୁ–ଗ୍ରାମବାସୀଠାରୁ, ଭାଇବନ୍ଧୁଙ୍କ ଠାରୁ କିଛି ଅର୍ଥ ସଂଗ୍ରହ କରିପାରିଲେ ପଠାନ୍ତୁ । ଏପରି ଅନ୍ୟାୟ ଅତ୍ୟାଚାର ଓ ଦୁଃଖ ଭୋଗ କରୁଥିବା ପ୍ରାଣୀ ଦେଶରେ ଆଉ କେହି ନାହିଁ । ଦାନ ଲାଗି ଏପରି ସତ୍‌ପାତ୍ର ଓ ଏପରି ସମୟ ଆଉ ମିଳିବ ନାହିଁ । ଏପରି ପାତ୍ରରେ, ଏପରି ସମୟରେ ଯେତିକି ଦାନ କରିପାରିବେ, ଜାଣିବେ, ଜୀବନରେ ସେତିକି ମାତ୍ର ସାତ୍ତ୍ୱିକ ଦାନ–ମହାଦାନ । ଇତି-

ବଂଶବଦ

ଶ୍ରୀ ବୈରାଗିଚରଣ ମିଶ୍ର

ସମ୍ପାଦକ, ନାରୀମଙ୍ଗଳ ସମିତି

Image

 

ଚଳି ଆସୁଛି

 

‘‘ଚଳି ଆସୁଛି’’ ଏ କଥା ନିତାନ୍ତ ଅଯୌକ୍ତିକ, ଅନ୍ଧତାର ପରିଚାୟକ । ମିଛ କହିବା ଚଳି ଆସୁଛି, ଚୋରି କରିବା ଚଳିଆସୁଛି, ନିଶା ଖାଇବା ଚଳି ଆସୁଛି, ରୁଢ଼ା ଦୋବଇ ବରକୁ ୭ ରୁ ୮ବର୍ଷ କନ୍ୟାର ବିବାହ ବା ବିକ୍ରୟ ଚଳି ଆସୁଛି, ଔଷଧ ପ୍ରୟୋଗ ଓ ପାପଗର୍ଭ ନଷ୍ଟ କରିବା ମଧ୍ୟ ଚଳି ଆସୁଛି । ‘‘ଚଳି ଆସୁଛି’’ ଏପରି ଯୁକ୍ତି କରିବା କେତେଦୂର ଯୁକ୍ତିଯୁକ୍ତ ଥରେମାତ୍ର ଭାବନ୍ତୁ । ସାତ ଆଠ ବର୍ଷର କନ୍ୟାମାନଙ୍କୁ ବିଧବା କରି ଆସୁଥିବା ପ୍ରଥା ସେହିପରି ଚଳି ଆସୁଛି, ଆଉ କିଛି ନୁହେଁ । ‘‘ଚଳି ଆସୁଛି’’ ଏ ଯୁକ୍ତି ଛାଡ଼ି ଶାସ୍ତ୍ରବାକ୍ୟ ଥିଲେ ଦେଖାନ୍ତୁ ।

 

ଯେଉଁ ସବୁ ପ୍ରଥା ଚଳିବାଦ୍ୱାରା ସମାଜର କିମ୍ୱା କୌଣସି ଲୋକର କିଛି କ୍ଷତି ନାହିଁ, ସେପରି ପ୍ରଥାସବୁ ଚଳୁଥାଉ, କିଛି ଆପତ୍ତି ନାହିଁ; କିନ୍ତୁ ୭/୮ ବଷର ନାବାଳିକା କନ୍ୟାର ବୈଧବ୍ୟ ପରି ହୃଦୟବିଦାରକ ସମାଜଧ୍ୱଂସକାରୀ ପ୍ରଥା ଚଳି ଆସୁଛି ବୋଲି ଚଳୁ ଆସୁଛି ବୋଲି ଚଳୁଥିବ–ଏହା ନିତାନ୍ତ ଆପତ୍ତିଜନକ ।

 

ସ୍କୃତେର୍ବେଦ ବିରୋଧେ ତୁ ପରିତ୍ୟାଗୋ ଯଥାଭବେତ୍

ତଥୈବ ଲୌକିକଂ ବାକ୍ୟଂ ସ୍ମୃତିବାଧେ ପରିତ୍ୟଜେତ୍ ।

 

ଶାସ୍ତ୍ରରୁ ଯଥେଷ୍ଟ ପ୍ରମାଣ ମିଳୁଛି ଯେ, ବନ୍ଦାପନା କର୍ମ ଶେଷ ହୋଇ ନ ଥିବା କନ୍ୟାମାନେ କଦାପି ବିଧବା ନୁହନ୍ତି । ଏପରି କନ୍ୟାମାନଙ୍କୁ ଅବିବାହିତା କନ୍ୟା ପରି ଗ୍ରହଣ କର–ଏ କଥା ଋଷି ମହାପୁରୁଷମାନେ ଥରେ ନୁହେଁ ବାରମ୍ୱାର କହି ଯାଇ ଅଛନ୍ତି । ‘‘‘ସାତ ଆଠ ବର୍ଷର କନ୍ୟାକୁ ବିଧବା କର’’–ଏପରି ଗୋଟିଏ ମାତ୍ର ଶାସ୍ତ୍ରବାକ୍ୟ କେହିକେବେ କାହାରିଠାରୁ ଶୁଣିଲେଣି କି ? ଅନ୍ୟର ଦୁଃଖ ଯେଉଁମାନଙ୍କ ହୃଦୟକୁ ସ୍ପର୍ଶ କରିପାରିନାହିଁ ଏବଂ ସ୍ୱାର୍ଥହାନି ଭୟରେ ଯେଉଁମାନେ ନିଜର ମତ ପରିବର୍ତ୍ତନ କରିବାକୁ କୁଣ୍ଠିତ, ସେହିମାନଙ୍କ ମଧ୍ୟରୁ କେତେକେ ମନେ ମନେ ବୁଝି ସୁଦ୍ଧା ଏହି ନିଷ୍ଠୁର ପ୍ରଥା ରହିତ କରିବା ପାଇଁ ବାଧା ଦେଉଅଛନ୍ତି । ଯେଉଁମାନେ ଏଥିରେ ବାଧା ଦେଉଅଛନ୍ତି, ସେହିମାନଙ୍କ କନ୍ୟାସବୁ ଯେଉଁ ଦିନ ବିଧବା ହେବେ, ସେହି ଦିନ କାହିଁକି–ସେହି ମୁହୂର୍ତ୍ତରେ ସେମାନେ ନିଜର ମତ ପରିବର୍ତ୍ତନ କରିବେ । ଏପରି ଦୃଷ୍ଟାନ୍ତ ବହୁତ ଦେଖାଗଲାଣି । ତେଣୁ ସେମାନଙ୍କ ମତକୁ ଅପେକ୍ଷା ନ କରି ନିଜ ନିଜର କନ୍ୟାମାନଙ୍କଠାରେ ଅକାରଣରେ ବୈଧବ୍ୟର କଳଙ୍କ ଲଗାନ୍ତୁ ନାହିଁ–ପାତ୍ରସ୍ଥ କରିବାକୁ ଚେଷ୍ଟା କରନ୍ତୁ ଓ ନାରିମଙ୍ଗଳ ସମିତି ସହିତ ପରାମର୍ଶ କରନ୍ତୁ । ଏପରି କନ୍ୟାମାନେ ପାତ୍ରସ୍ଥ ନହେବା ପଯ୍ୟନ୍ତ କୌଣସି ଦୋବେଇ ବର ସହିତ କନ୍ୟାର ବିବାହ ଦିଅନ୍ତୁ ନାହିଁ–ସେପରି ବିବାହ ବର୍ତ୍ତମାନ ସମ୍ପୂର୍ଣ୍ଣ ଦୋଷାବହ ।

 

ଚଳି ଆସୁଛି–ଏହି ଅନ୍ଧତାର (ସଂସ୍କୃତ) ନାମ ଦେଶାଚାର, କୁଳାଚାର ବା ଲୋକଚାର । ସ୍ଥାନବିଶେଷରେ ଯାହା ଚଳି ଆସୁଛି, ତାହାର ନାମ ଦେଶାଚାର–କୁଳବିଶେଷରେ ଯାହା ଚଳି ଆସୁଛି ତାହାର ନାମ କୁଳାଚାର–ଆଉ ଲୋକମତ ଉପରେ ନିର୍ଭର କରି ଯେଉଁସବୁ କଥା ଚଳି ଆସୁଛି, ତାହାର ନାମ ଲୋକାଚାର ।

 

ଚଳି ଆସୁଛି, ଏହି ଅନ୍ଧତା ଦେଶରେ ଏପରି ଏକାଧିପତ୍ୟ ବିସ୍ତାର କରି ରହିଛି ଯେ, ଏହି ଅନ୍ଧତାର ରାଜତ୍ୱରେ ଦେଶରେ ଆଜି ଶାସ୍ତ୍ର ନାହିଁ–ଲୋକଙ୍କର ଆଜି ବିବେକ ନାହିଁ ।

 

ସାତ ଆଠ ବଷର କନ୍ୟାକୁ ବିଧବା କରିବା କି ନ କରିବା, ଏଥିଲାଗି ଆଜି ଶାସ୍ତ୍ର ଖୋଜା ଯାଉଛି କି ଆଶ୍ଚର୍ଯ୍ୟ । ଏପରି ଅଯୌକ୍ତକ ଅନିଷ୍ଟାକର ବିଷୟ କୌଣସି ଶାସ୍ରରେ ରହିପାରେ କି ?

 

ଭାଇମାନେ, ମାଆମାନେ ! ମନୁଷ୍ୟର ସର୍ବପ୍ରଧାନ ଆଶ୍ରୟ ସେହି ବିବେକର ସାହାଯ୍ୟ ନେଇ ‘‘ଚଳି ଆସୁଛି’’ ଏହି ଅନ୍ଧତାକୁ ଦେଶରୁ ଆଜି ଦୂର କରିପାରିଲେ ମଙ୍ଗଳ ।

Image

 

ବନ୍ଦାପନା କର୍ମ ଶେଷ କରି ନ ଥିବା
କନ୍ୟାକୁ ବିଧବା କର ନାହିଁ

 

ଶାସ୍ତ୍ରୀୟ ପ୍ରମାଣ–

 

ନିଷେକାନନ୍ତରଂ ସ୍ତ୍ରୀଣାଂ ଭର୍ତ୍ତ ଭର୍ତ୍ତୃତ୍ୱମୁଚ୍ୟତେ

ପାଣିଗ୍ରହଣମାତ୍ରେଣ ନ ଭର୍ତ୍ତା ସର୍ବଯୋଷିତାଂ ।

–ମାର୍କଣ୍ଡେୟ

 

ଅର୍ଥ–ନିଷେକ ବା ସହବାସ, ପରେ ବର ଭର୍ତ୍ତା ନାମରେ ନାମିତ ହୁଏ । ପାଣିଗ୍ରହଣ ମାତ୍ରେ ବର ଭର୍ତ୍ତା ହୋଇ ନ ପାରେ ।

 

ଉଦ୍‌ବାହିତାଗି ଯା କନ୍ୱମ୍ ନ ଚେତ୍ ସଂପ୍ରାପ୍ତମୈଥୁନା

ସାପ୍ୟୁଦ୍‌ବାହ୍ୟା ପୁନଃ ପିତ୍ରା ଯଥା କନ୍ୟା ତଥୈବ ସା ।

(ପୁନଃ ସଂସ୍କାରମର୍ହତି ଯଥା କନ୍ୟା ତଥୈବ ସା ।)

 

–ନାରଦସ୍ମୃତି, ନିର୍ଣ୍ଣୟ ସିନ୍ଧୁ, ପଣ୍ଡିତସର୍ବସ୍ୱ

 

ଅର୍ଥ–କୌଣସି କନ୍ୟା ବିବାହ କରି ସୁଦ୍ଧା ସ୍ୱାମୀ ସହବାସ କରି ନ ଥିଲେ ତାହାର ପିତା ତାକୁ ପୁଣି ବିବାହ ଦେବେ; କାରଣ ଅବିବାହିତ କନ୍ୟା ଯେପରି, ଏ କନ୍ୟା ସେହିପରି ।

 

ପୂର୍ବ ନିଷେକାତ୍ ନାରୀଣାଂ ମୃତେ ପତ୍ୟୌ ବିଧିବଂଶାତ୍

ଦଶାହାଭ୍ୟନ୍ତରେ କୁର୍ଯ୍ୟାତ୍ ପୁନଃ ପରିଣୟଂ ପିତା । (ଚ୍ୟବନ)

 

ଅର୍ଥ–ନିଷେକ ପୂର୍ବରୁ ପତିର ମୃତ୍ୟୁ ହେଲେ ଦଶାହମଧ୍ୟରେ ପିତାର ସେହି କନ୍ୟାକୁ ବିବାହ ଦେବା ଉଚିତ ।

 

ବର୍ତ୍ତମାନ ଚଳୁଥିବା ବିବାହ ମନ୍ତ୍ର ସମସ୍ତେ ଜାଣିଥିବେ । ନ ଜାଣିଥିଲେ ବା ମନେ ନ ଥିଲେ, ‘ପୁରୋହିତସର୍ବସ୍ୱ ବହି ତ ପ୍ରାୟ ପ୍ରତି ପୁରୋହିତଙ୍କ ପାଖରେ ଥିବ, ଦେଖିବେ । ବନ୍ଦାପନା ପର୍ଯ୍ୟନ୍ତ ବର ଯେତେ ମନ୍ତ୍ର ପଢ଼େ, ସବୁଠାରେ କହେ–‘‘ଆବୟୋଃ ବରକନ୍ୟୟୋଃ’’; କିନ୍ତୁ ବନ୍ଦାପନା ଦିନ କହେ ‘‘ମମ ଭାର୍ଯ୍ୟା’’ । ଏଥିରୁ କଣ ଦେଖୁଛନ୍ତି ? ବିବାହ କର୍ମ ଶେଷ ନ ହେବା ପର୍ଯ୍ୟନ୍ତ କନ୍ୟାର କନ୍ୟାତ୍ୱ ଯାଇଥାଏ କି ? ତେଣୁ ସେପର୍ଯ୍ୟନ୍ତ ସେ କାହାରି ସ୍ତ୍ରୀ ହୋଇପାରେ କି ? ସ୍ୱାମୀ ହେବା ସକାଶେ କେବଳ ବରଣ ହୋଇଥିବା ପୁରୁଷର ଅର୍ଥାତ୍ ବରର ମୃତ୍ୟୁରେ କନ୍ୟା ବିଧବା ହୋଇପାରେ କି ? ପାଠ ଥିଲେ ଦେଖାନ୍ତୁ । ଆଉ ମଧ୍ୟ ବନ୍ଦାପନା ପର୍ଯ୍ୟନ୍ତ ଯେତେ କର୍ମ୍ମ ଅଛି, ସବୁ କର୍ମ ବିବାହର ଅଙ୍ଗ ବୋଲି ଲେଖା ଅଛି; ଅତଏବ ବିବାହ ନ ସରୁଣୁ କନ୍ୟାକୁ ବିଧବା କରାଯାଇ ପାରେ କି ?

 

ଶାସ୍ତ୍ରର ତୁଳନାମୂଳକ ଆଲୋଚନା କଲେ ଜଣାଯିବ, ପ୍ରକୃତ ବିଧବାମାନଙ୍କଠାରୁ ଏପରି କନ୍ୟାମାନଙ୍କୁ ସମ୍ପୂର୍ଣ୍ଣ ପୃଥକ୍ ଦୃଷ୍ଚିରେ ଦେଖିବାକୁ ଶାସ୍ତ୍ରକାରମାନେ ବାରମ୍ୱାର ଲେଖିଯାଇଅଛନ୍ତି । କିନ୍ତୁ ବର୍ତ୍ତମାନ ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ ! ଖଜା ସେର ଟଙ୍କାଏ, ଶାଗ ସେର ବି ଟଙ୍କାଏ !

 

‘‘ଅବୁଝ୍ ନଗରୀମେ ବେବୁଝ୍ ରାଜା

ଟଙ୍କା ସେର୍ ଭାଜି ଟଙ୍କା ସେର୍ ଖାଜା ।’’

 

ଦୂର୍ବାକ୍ଷତ କର୍ମ ସାରି ନ ଥିବା କନ୍ୟାମାନଙ୍କୁ ଅକାରଣେ ବିଧବା କରି ଆସୁଥିବା ପ୍ରଥା ଶାସ୍ତ୍ରସିଦ୍ଧ ବୋଲି କୌଣସି ଲୋକ ପ୍ରମାଣ କରିପାରିଲେ ‘ନାରୀମଙ୍ଗଳ ସମିତି’ଠାରୁ ଶହେ ଟଙ୍କା ପୁରସ୍କାର ପାଇବେ–ଏ କଥା ଅପ୍ରେଲ ମାସରୁ ‘ସତ୍ୟସମାଚାର’ରେ ଓ ‘ସହକାର’ରେ ଘୋଷଣା କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି ଶାସ୍ତ୍ରବାକ୍ୟ ଦେଖାଇପାରିଲେ ନାହିଁ । ଏଥିରୁ ସ୍ପଷ୍ଚ ପ୍ରମାଣ ମିଳୁଛି ଯେ, ଏ ପ୍ରଥା ସମ୍ପୂର୍ଣ୍ଣ ଅଶାସ୍ତ୍ରୀୟ ।

 

ଯେଉଁମାନେ ଶାସ୍ତ୍ରବାକ୍ୟ ବୁଝିବାକୁ ନିଜକୁ ଅକ୍ଷମ ମନେକରନ୍ତି, ସେମାନଙ୍କ ସକାଶେ ଗୋଟିଏ ଅସଲ କଥା ଲେଖାଗଲା :– ଯେଉଁମାନଙ୍କ ମତରେ ୭/୮ ବର୍ଷର କନ୍ୟାର ବୈଧବ୍ୟ ଶାସ୍ତ୍ରସିଦ୍ଧ ଓ ଶ୍ରେୟସ୍କର, ସେମାନଙ୍କ ମଧ୍ୟରୁ କୌଣସି ଲୋକ ବରହୀନା । ଏହିପରି କୌଣସି କନ୍ୟାଠାରୁ ତାର ଇଚ୍ଚ୍ଥା ବିରୁଦ୍ଧରେ ତାର ପିନ୍ଧିଥିବା କାଚକୁ ସର୍ବସମକ୍ଷରେ ଭାଙ୍ଗି ଦିଅନ୍ତୁ ଓ ସିନ୍ଦୁରକୁ ପୋଛି ଦିଅନ୍ତୁ । ଯାହା ଶାସ୍ତ୍ରସିଦ୍ଧ ଓ ଶ୍ରେୟସ୍କର, ସେହିପରି କାର୍ଯ୍ୟ କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି କାହିଁକି ? ହେବାର ତ କୌଣସି କାରଣ ନାହିଁ ।

Image

 

ବିବାହ ଓ ବୈଧବ୍ୟ

 

ବିଧବା–ବିବାହ କଥାଟିରେ ବିବାହ ଓ ବୈଧବ୍ୟ ଏହି ଯୋଡ଼ିକ ଶବ୍ଦ ରହିଥିବାରୁ ଆଜି ଏହି ଯୋଡ଼ିକ ଶବ୍ଦ ରହିଥିବାରୁ ଆଜି ଏହି ଯୋଡ଼ିକ ଶବ୍ଦ ଆଲୋଚନା କରିବା ଆବଶ୍ୟକ ହେଲା ।

 

ବିବାହ ଓ ବୈଧବ୍ୟ ଏହି ଯୋଡ଼ିକ ବିଷୟ ଯେପରି ଦାୟିତ୍ୱପୂର୍ଣ୍ଣ, ସେହିପରି ମଧ୍ୟ ପବିତ୍ର । ଉଭୟ ବ୍ରହ୍କଚର୍ଯ୍ୟ ଉପରେ ପ୍ରତିଷ୍ଠିତ । ମାତ୍ର ବାଧ୍ୟତାମୂଳକ ବିବାହ ଓ ବାଧ୍ୟତାମୂଳକ ବୈଧବ୍ୟ ସମ୍ପୂର୍ଣ୍ଣ ଅଯୌକ୍ତିକ, ଅଶାସ୍ତ୍ରୀୟ, ଅନିଷ୍ଚକାର ତଥା ନିନ୍ଦନୀୟ ।

 

ଗୋପନ ବ୍ୟଭିଚାର ରହିତ କରିବା ସକାଶେ ଶାସ୍ତ୍ରରେ ବିବାହର ବ୍ୟବସ୍ଥା ହେଲା । କି ପୁରୁଷ କି ସ୍ତ୍ରୀ, ବିବାହକର୍ମୀ ପ୍ରତ୍ୟେକ ଲୋକ କୌଣସି ବୟଷରେ, ଯେ କୌଣସି ବୟସରେ, ଯେ କୌଣସି ଅବସ୍ଥାରେ ସୁଦ୍ଧା ବିବାହ କରିବାକୁ ଇଚ୍ଛାକଲେ ବିବାହ କରିବା ଉଚିତ୍ । ଗୋପନ ବ୍ୟଭିଚାରରେ ପାପ ଅଛି, କିନ୍ତୁ ବିବାହରେ ପାପ ନାହିଁ–ତେଣୁ ବିବାହାରେ ବାଧା ଦେବା ମୂର୍ଖତା ।

 

ବୈଧବ୍ୟ ଅତି ପବିତ୍ର ବିଷୟ । ବୈଧବ୍ୟ ପରି ପବିତ୍ର ବିଷୟକୁ ଧ୍ୱଂସ କରି ବିଧବା–ବିବାହକୁ ଉତ୍ସାହିତ କରିବା ଶାସ୍ତ୍ରକାରମାନଙ୍କର ଉଦ୍ଦେଶ୍ୟ ନୁହେଁ କିମ୍ୱା କାହାର ଉଦ୍ଦେଶ୍ୟ ହେବା ମଧ୍ୟ ଉଚିତ ନୁହେଁ । କିନ୍ତୁ ବୈଧବ୍ୟକୁ ବାଧ୍ୟତାମୂଳକ କରି ବିବାହକାମୀ ବିଧବାର ବିବାହରେ ବାଧା ଦେବାଦ୍ୱାରା ଗୋପନ ବ୍ୟଭଚାରିଙ୍କୁ ପ୍ରଶୟ ଦେବା ଅନୁଚିତ । ସେ ଯାହାହେଉ ବିଧବା ବିଚାର ଆଲୋଚନା କରିବା ଆବଶ୍ୟକ ନାହିଁ; କାରଣ ପ୍ରକୃତ ବିଧବାମାନଙ୍କର ବିବାହ ସମାଜରେ ଏପର୍ଯ୍ୟନ୍ତ ଚଳି ନାହିଁ ।

 

‘‘ବିଧବାବିବାହ’’ର ଶବ୍ଦ ଖବରକାଗଜରେ, ବହିପତ୍ରରେ ସମସ୍ତେ ଲେଖୁଅଛନ୍ତି; ମାତ୍ର ଭାବି ଦେଖନ୍ତୁ, ଏପରି ଲେଖିବା ସମ୍ପୂର୍ଣ୍ଣ ଭୁଲ । ଯେଉଁମାନଙ୍କ ବିବାହରେ ବିଧବାବିବାହ ଲେଖାଯାଉଛି, ସେମାନେ କଦାପି ବିଧବା ନୁହନ୍ତି–‘‘ବିବରା’’ । ସେମାନଙ୍କର ବିବାହକୁ ‘ବିବରା–ବିବାହ’ କହିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।

Image

 

ବିବରା–ବିବାହ

 

‘ବିଗିତ’ ହୋଇଛି ବା ମରିଯାଇଛି ‘ଧବ’ ଯାହାର, ସେ ‘ବିଧବା’ । ଠିକ୍ ସେହିପରି ବିଗତ ହୋଇଛି ‘ବର’ ଯାହାର ସେ ‘ବିବରା’ । ‘‘ବୃଞ ବରଣେ’’ ଧାତୁର ଉତ୍ତର କର୍ମବାଚ୍ୟରେ ବ୍ରିୟତେ ଯଃ ସଃ ଅଥାତ୍ ଯାହାକୁ ବରଣ କରାଯାଏ । ଏହି ଅର୍ଥରେ ଅଳ୍ ପ୍ରତୟଦ୍ୱାରା ବର ଶବ୍ଦ ନିଷ୍ପନ୍ନ ହୋଇଛି । ସେହି ବରହୀନ ବା ବିବରା କନ୍ୟାମାନଙ୍କୁ ବିଧବା କରାଇବା କିମ୍ବା ସେମାନଙ୍କ ବିବାହକୁ ବିଧବା ବିବାହ କହିବା ଅଯୈାକ୍ତିକ ତା ନୁହେଁ । ଘୋର ଅନିଷ୍ଚକର କାରଣ ସେମାନେ କେଭେଁ ବିଧବା ନୁହନ୍ତି ।

 

ବର ଓ ଧବ ଏ ନୁହେଁ ସ୍ୱତନ ଯୋଡ଼ାଏ କଥା–ଏକା କଥା କଦାପି ନୁହେଁ । Bridegroom and husband are two separate things. Bridegroom would be husband. ସେହିପରି ବର ଏହି ଶବ୍ଦର ଅର୍ଥ ସ୍ୱାମୀ ନୁହେଁ ଭବିଷ୍ୟତ ସ୍ୱାମୀ ।

 

ବିବରା ବା ବରହୀନ କନ୍ୟାମାନଙ୍କ ବିଧବା ବିବାହ କହିବା ଦ୍ୱାରା ୭/୮ ବର୍ଷର କନ୍ୟାମାନଙ୍କର ଅଶାସ୍ତ୍ରୀୟ ଓ ଅଯୈାକ୍ତିକ ବୈଧବ୍ୟକୁ ସମର୍ଥନ କରାଯାଉଅଛି । କେବଳ ସେତିକି ନୁହେଁ–ଏପରି କନ୍ୟାମାନଙ୍କ ବିବାହକୁ ନ୍ୟାୟତଃ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପ୍ରକୃତ ବିଧବାମାନଙ୍କର ବିବାହକୁ ମଧ୍ୟ ସମାନ ଭାବରେ ଉତ୍ସାହିତ କରାଯାଉଅଛି ଏବଂ ବୈଧବ୍ୟ ପରି ପବିତ୍ର ଜିନିଷର ଲୋପ କରାଯାଉଅଛି । ତେଣୁ ଯେପର୍ଯ୍ୟନ୍ତ ପ୍ରକୃତ ବିଧବାମାନଙ୍କର ବିବାହ ଚଳି ନାହିଁ, ସେପର୍ଯ୍ୟନ୍ତ ଏହା ବରହୀନା କନ୍ୟାମାନଙ୍କ ବିବାହକୁ ବିଧବାବିବାହ କହିବା ସମ୍ପର୍ଣ୍ଣ ଅନ୍ୟାୟ ଅଟେ ।

 

ବିଧବାବିବାହ ଏ କଥା ଅନେକ ଦିନରୁ କହିଆସିଲୁଣି ; ତେଣୁ ତାହା ଅନିଷ୍ଚକର ହେଲେ ସୁଦ୍ଧା କହୁଥିବୁ–ଏ ଯୁକ୍ତି ଠିକ୍ ନୁହେଁ । ସାତ ଆଠ ବର୍ଷ ବେଳୁ କନ୍ୟାମାନଙ୍କୁ ଅନେକ ଦିନରୁ ବିଧବା କରି ଆସିଲୁଣି; ତଦ୍ଦ୍ୱାରା ସମାଜର ଅନିଷ୍ଚ ଘଟୁଥିଲେ ସୁଦ୍ଧା ପୂର୍ବପରି ବିଧବା କରୁଥିବୁ–ଏ କଥା କହିବା ଯୁକ୍ତିଯୁକ୍ତ, ବିଧବାବିବାହ ଶବ୍ଦ ବ୍ୟବହାର ସେହିପରି ଯୁକ୍ତିଯୁକ୍ତ ହୋଇପାରେ ।

 

ଯେଉଁଦିନ ବିବାହକାମୀ ପ୍ରକୃତ ବିଧବାର ବିବାହ ସମାଜରେ ଚଳିବ, ସେ ଦିନ ବିଧବା ଶବ୍ଦ ବ୍ୟବହାର କରାଯିବା ଏବଂ ତାହା ଯୁକ୍ତି ଯୁକ୍ତ ହେବା ଆଜି ନୁହେଁ ।

 

ବାଟବରଣଠାରୁ ଆରମ୍ଭକରି ବିବାହକର୍ମ ଶେଷ ହେବାଯାଏ ପୁରୁଷକୁ ବର କୁହାଯାଏ; ବିବାହ କର୍ମ ଶେଷ ହେବା ପରେ ସେହି ବର ସ୍ୱାମୀ ବା ଭର୍ତ୍ତା ନାମରେ ଅଭିହିତ ହୁଏ–ଏ କଥା ସମସ୍ତେ ଜାଣନ୍ତି । କାରଣ ସେହି ମହାନାୟକ ଘରେ ସେହି ବିବାହ ଦିନଟି ସକାଶେ ପୁରୁଷକୁ ବର ଓ ସ୍ତ୍ରୀକୁ କନ୍ୟା କୁହାଯାଏ । ପାଶ୍ଚାତ୍ୟ ଦେଶରେ ବର ଓ ସ୍ତ୍ରୀକୁ ଯଥାକ୍ରମେ Bridegroom ଓ Bride କୁହାଯାଏ । ବ୍ରାହ୍କଣ ଓ ବୈଶ୍ୟ କୁଳରେ ଉକ୍ତ ବରକନ୍ୟା ନାମ କନ୍ୟାଦାନ ଠାରୁ ଆରମ୍ୱ କରି ବନ୍ଧାପନା ପଯ୍ୟନ୍ତ ରହେ । କାରଣ ଏମାନଙ୍କର ବିବାହ କର୍ମ କନ୍ୟାଦାନ ଦିନ ଆରମ୍ଭ ହୁଏ ଏବଂ ବନ୍ଦାପନା କର୍ମରେ ଶେଷ ହୁଏ ।

 

ବ୍ରାହ୍କଣେତରେ ଜାତିରେ ‘‘ବିଧବାବିବାହ’’କୁ ‘‘ଦ୍ୱିତୀୟ ଘର’’ କହନ୍ତି । ‘‘ବିବରା ବିବାହ’’କୁ ବା ବରହୀନ କନ୍ୟାର ବିବାହକୁ ‘କାଣ୍ଡ ବିବାହ’ କୁହନ୍ତି । ଦେଖନ୍ତୁ କାଣ୍ଡ ବିବାହ ଏଥିରେ ବିବାହ ଶବ୍ଦ ରହିଛି କିନ୍ତୁ ଦ୍ୱତୀୟ ବିବାହ ଶବ୍ଦ ନାହିଁ । କେବଳ ନୂଆ ଶାଢ଼ୀ ଓ ନୂଆ ଶଙ୍ଖାରେ ମନ୍ତ୍ର ପାଣି ଛିଞ୍ଚିଦେଇ ପୁରୋହିତମାନେ ଦ୍ୱିତୀୟ ଘର କାର୍ଯ୍ୟ ସମ୍ପନ୍ନ କରନ୍ତି; କିନ୍ତୁ ‘କାଣ୍ଡବିବାହ’ରେ ନିୟମିତ ଭାବେ ମନ୍ତ୍ର ପଢ଼ା, ହୁଏ ଏବଂ ବିବାହର ସମସ୍ତ ନିୟମ ପାଳନ କରାଯାଏ । ଏଥିରୁ ସ୍ପଷ୍ଚ ପ୍ରମାଣ ମିଳୁଛି ଯେ, ସେମାନେ ସୁଦ୍ଧା ବିଧବା ବିବାହକୁ ଉତ୍ସାହିତ କରୁ ନାହାନ୍ତି–ବିବାହକର୍ମୀ ବିଧବାର ବିବାହରେ ବାଧା ନ ଦେଇ ଶାସ୍ତ୍ର ଅନୁସାରେ ସମାଜରେ ତାକୁ ଦ୍ୱିତୀୟ ବିବାହ ନାମରେ ଚଳାଉଅଛନ୍ତି । ଅତଏବ ଆମ୍ଭମାନଙ୍କର ସମାଜରେ ଏହି ଦୁଇ ପ୍ରକାର ସ୍ୱତନ୍ତ୍ର ବିବାହ, ସକାଶେ ‘ବିବରା-ବିବାହ’ ଓ ‘ବିଧବା-ବିବାହ’ ଏହି ଦୁଇଟି ସ୍ୱତନ୍ତ୍ର ନାମ ବ୍ୟବହାର କରିବା ଏକାନ୍ତ ଆବଶ୍ୟକ ।

Image

 

ନାରୀମଙ୍ଗଳ ସମିତିର ମତ

 

୧.

ବନ୍ଦାପନା କର୍ମ ସାରି ନ ଥିବା କନ୍ୟାଙ୍କଠାରେ ଅକାରଣରେ ବୃଥା ବୈଧବ୍ୟର କଳଙ୍କ ଲଗାଅ ନାହିଁ । କାଚ ସିନ୍ଦୁର କାଢ଼ିଥିଲେ ଆଜି ପିନ୍ଧାଅ ।

୨.

କୌଣସି ଲୋକ ବୁଢ଼ା, ଦରବୁଢ଼ା, ଦୋବୋଇ ବରକୁ କଂସେଇ ପରି କନ୍ୟା ବିକ୍ରୟ କଲେ ସେହି କନ୍ୟାପିତାକୁ, ବୁଢ଼ାବରକୁ ଓ ତାହାର ସମର୍ଥନକାରୀମାନଙ୍କୁ ପତିତ ବୋଲି ଜ୍ଞାନ କର ।

୩.

କେବଳ ଲୋକନିନ୍ଦା ଭୟରେ କିମ୍ୱା ଦୁଇ ପଦ ପ୍ରଶଂସା ପାଇବା ଲାଗି କଷ୍ଚଲବ୍ଧ ଅର୍ଥର ଅପବ୍ୟୟ କରି ସର୍ବସ୍ୱାନ୍ତ ହୁଅ ନାହିଁ ।

୪.

ଝିଅମାନଙ୍କୁ ଅନ୍ଧ ନ ରଖି ଅନ୍ତତଃ ଅକ୍ଷର ପରିଚୟ କରାଅ । ବିବାହ ପୂର୍ବରୁ ଗହଣା ଦିଅ ନାହିଁ । କାଚ ସିନ୍ଦୁର ସଧବାର ଚିହ୍ନ ଓ ସରଳତାର ଲକ୍ଷଣ ।

୫.

ନାରୀଜାତି ମାତୃଜାତି ଏ କଥା ଭଲରୂପେ ବୁଝ ଓ ମାତୃପୂଜା ସାଧନ କରିବାକୁ ଇଚ୍ଛା କଲେ କୁକୁରୀକୁ ସୁଦ୍ଧା ମାତୃଜାତି ବୋଲି ନମସ୍କାର କର ।

୬.

ଉରୁଣା ଦେବା ବା ମୁହଁ ଲୁଚାଇବା ଅତି କଦର୍ଯ୍ୟ ପ୍ରଥା । ଝିଅମାନଙ୍କୁ ପିଲା ଦିନରୁ ଏହି କଦର୍ଯ୍ୟ ପ୍ରଥା ଶିକ୍ଷା ଦିଅନାହିଁ ।

୭.

ସ୍ୱାମୀ ଓ ସ୍ତ୍ରୀଙ୍କର ସ୍ୱତନ୍ତ୍ର ବିଛଣାର ବନ୍ଦୋବସ୍ତ କର ।

୮.

ନିଜର ମନକୁ ମନେଇ ସମସ୍ତ କାର୍ଯ୍ୟ କର । ବେଶି ଲୋକ କୌଣସି କାର୍ଯ୍ୟରେ ମତ ଦେଉଛନ୍ତି ବୋଲି ସେଥିରେ ଏକମତ ହୋଇବା ଠିକ୍ ନୁହେଁ କିମ୍ୱା କୌଣସି ବିଶିଷ୍ଚ ଲୋକ କହିଗଲେ ବା ଲେଖିଗଲେ ବୋଲି ତାହା ମାନିବା ଉଚିତ୍ ନୁହେଁ । ଏହି ଅନ୍ଧତା ଆମ୍ଭମାନଙ୍କ ଅବନତି ଓ ଦୁଃଖର ଏକମାତ୍ର କାରଣ । ମୂର୍ଖତା ଅପେକ୍ଷା ଅନ୍ଧତା ଅନିଷ୍ଚକର ।

୯.

ନିଜର ବୁଦ୍ଧି ଓ ବିବେକ ଯେତେ ସାମାନ୍ୟ ହେଉ ପଛକେ, ସେହି ବୁଦ୍ଧି ଓ ବିବେକକୁ ଏକମାତ୍ର ଅବଲମ୍ୱନ କରି ଅଥାତ୍ ନିଜର ମନକୁ ମନେଇ ନିର୍ଭୟରେ, ନିଃସଙ୍କୋଚରେ ସଂସାର ପଥରେ ଅଗ୍ରସର ହୁଅ ।

Image